Join Us To Make A Difference

The Drops💧

୪ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ

୪ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ
Published by:Jyotshna Kumari
#state

ଦ କୁଇଭର ବ୍ୟୁରୋ :- କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତର ଦ୍ଵିତୀୟ ଦିନରେ ଏହାର ଉଦଘାଟନ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଆଉ ହଇରାଣ ହରକତ ହେବାକୁ ପଡିବ ନାହିଁ । ଚିକିତ୍ସା ପାଇଁ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହେବାକୁ ନପଡେ ସେଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ଏହି ମେଡିକାଲ କଲେଜ ହସ୍ପିଟାଲ ଦ୍ବାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ । ଏହି ନୂଆ ହସ୍ପିଟାଲରେ ସବୁପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଅଛି । ଖୁବଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ।"


ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀମାନଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି । ସି.ଟି ସ୍କାନ, ଡାଏଲିସିସ, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଗୁରୁତର ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଅକ୍ସିଜେନ ପ୍ଲାଣ୍ଟ ବସାଯାଉଛି । ହସ୍ପିଟାଲ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର ଚିକିତ୍ସା ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି ।


ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି । ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । ୭୦ ବର୍ଷରୁ ଉର୍ଦ୍ଧ୍ୱ ୮୬୪୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି lମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ନିରନ୍ତର ବିକାଶ ଧାରାରେ କୋରାପୁଟ ଜିଲ୍ଲା ସାମିଲ ହୋଇଛି । ରାଜ୍ୟର ଜନସାଧାରଣଙ୍କ ସହିତ ଆମ କୋରାପୁଟବାସୀ ମଧ୍ୟ ଦେଶର ବଡ଼ ବଡ଼ ସହରରେ ଥ‌ିବା ପ୍ରାୟ ୨୯ ହଜାରରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟ ସେବା ପାଉଛନ୍ତି । ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କୋରାପୁଟ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ୩ ଲକ୍ଷ ୫୪୭ ଟି କାର୍ଡ ବଣ୍ଟନ କରାଯାଇଛି । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଅଧୀନରେ ୯ ହଜାର ୬ ଜଣ ହିତାଧିକାରୀ ପଂଜୀକୃତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ୪ଟି ବେସରକାରୀ ହସ୍ପିଟାଲକୁ AB PMJAY–GJAY ଅନ୍ତର୍ଗତ ଅନୁମୋଦନ ମିଳିଛି, ଯେଉଁଠି ଲୋକେ କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି ।"ମାତ୍ର ଏକ ବର୍ଷର ସରକାରରେ ଅନେକ କିଛି କାର୍ଯ୍ୟ ହୋଇଛି ସବୁ କ୍ଷେତ୍ରରେ । ଏହି କାର୍ଯ୍ୟ ଆହୁରି ଅଧିକ ଗତିରେ ତ୍ୱରାନ୍ୱିତ ହେବ । ଆମ ସରକାର ହେଉଛି ଲୋକଙ୍କ ସରକାର । ୨୦୩୬ ମସିହାରେ ସମୃଦ୍ଧ ଓଡ଼ିଶା ଗଠନ ସହ ୨୦୪୭ ମସିହା ବେଳକୁ ବିକଶିତ ଭାରତ ଗଠନରେ ଓଡ଼ିଶାକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବା ପାଇଁ ଆମ ସରକାର ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟସେବା, କୃଷି, ଶିଳ୍ପ, ନୂଆ ରୋଜଗାର ସୁବିଧା ସୃଷ୍ଟି, ନିରନ୍ତର ଆର୍ଥିକ ବିକାଶ ଆଦି କ୍ଷେତ୍ରରେ ସାରା ଓଡ଼ିଶାରେ ନୂଆ ଯୁଗର ଆରମ୍ଭ ହୋଇଛି । ଏ ସବୁଥିରେ କୋରାପୁଟ ଜିଲ୍ଲାକୁ ସାମିଲ କରାଯାଇଛି । ତେଵେ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରମୁଖ ମଂଚାସୀନ ଥିବା ବେଳେ ସମାରୋହରେ ଅନୁଷ୍ଠାନିକ ସ୍ୱାଗତ ଭାଷଣ, କୋରାପୁଟ ବିଧାୟକ ରଘୁରାମ ମାଛ ଦେଇଥିବା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Comment

Comments

No comments yet.

Best Biofloc Fish Farming

ChasiCare Advertisement

Read More

Politics,State

ରାଜନୀତିରେ ଫସିଲା ଛାତ୍ରୀ ମୃତ୍ୟୁ

Blog Thumbnail

ପଟ୍ଟାମୁଣ୍ଡାଇ(ଦ କୁଇଭର): ପୂରା ଗାଁ ସାରା ଲୋକେ ତାତିଲେଣି । ନ୍ୟାୟ ମିଳିବା ନେଇ ଭରସା କରିପାରୁ ନାହାନ୍ତି ପୋଲିସ ବା ସରକାରଙ୍କ ଉପରେ । ଗରିବ ବୋଲି ନ୍ୟାୟ ମିଳିବ ନାହିଁ, ଏମିତି କହିଲେଣି ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ଗାଁ ତେରୋହୀର ଲୋକେ । ତାଙ୍କ ବାପା ଆତ୍ମହତ୍ୟା ପାଇଁ ଧମକ ଦେଲେଣି । କାରଣ ମିଛ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଘରେ ବିଜେପି ଏମପି ତଥା ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିଥିବାରୁ ତାଙ୍କ ଭଳି ଗରିବ ଲୋକଙ୍କ ପ୍ରତି ପୋଲିସ ନ୍ୟାୟ କରିବ ନାହିଁ । ରାଜନୈତିକ ଚାପ ପଡ଼ୁଛି ତାଙ୍କ ନିରୀହ ପୁଅକୁ ଫସାଇବା ପାଇଁ । ଏଭଳି କିଛି ଅଭିଯୋଗ କରି ଗାଁ ସାରା ଲୋକେ ତାତିଲେଣି ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମାହୂତି ଦେଲେ । ପୁରୁଷବନ୍ଧୁଙ୍କ ବ୍ଲାକମେଲିଂ ଯୋଗୁ ସେ ଏପରି ପଦକ୍ଷେପ ନେଇଥିବା ତାଙ୍କ ବାପା ଘଟଣାର ୪ଦିନ ପରେ ଥାନାରେ ଏତଲା ଦେଇଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁର ସ୍ଥିତିକୁ ଦେଖି ସନ୍ଦେହ ତାଙ୍କ ବାପା ଓ ଭାଇ ଉପରକୁ ଯାଇଥିଲା । ଏଥିରେ କେତେକ ପଡ଼ୋଶୀ ସାମିଲ ଥିବା ମଧ୍ୟ କୁହାଯାଉଛି । ତେଣୁ ସବୁ କିଛି ବିଗିଡ଼ି ଯିବ ବୋଲି ଚର୍ଚ୍ଚା ହେଉଛି । ଏହି ଘଟଣାର ତଦନ୍ତ ନିଜେ କେନ୍ଦ୍ରାପଡ଼ା ଏସପି କରୁଛନ୍ତି । ତଥାପୀ ଛାତ୍ରୀଙ୍କ ଘରେ ବିଜେପିର ପାୱାରଫୁଲ ନେତା ବୈଜୟନ୍ତ ପଣ୍ଡା ପହଞ୍ଚିବା ପରେ ମାମଲାର ତଦନ୍ତରେ ନୀରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୁକ୍ତଙ୍କ ବାପା ।

ସେ କହିଛନ୍ତି, ଏହାକୁ ରାଜନୀତିକରଣ କରାଯାଉଛି । ଏଥିରୁ ରାଜନୈତିକ ଫାଇଦା ଓ ସରକାରୀ ଅନୁକମ୍ପା ପାଇଁ ଯୋଜନା ଚାଲିଛି । ସେ ଗୋଟି ଗୋଟି କରି ପ୍ରମାଣ ମାଗିଛନ୍ତି । କେଉଁ ଫେସବୁକ ଆକାଉଣ୍ଟରୁ ଅଶ୍ଳୀଳ ଫଟୋ ଭାଇରାଲ କରାଯାଇଥିଲା ତାହାର ପ୍ରମାଣ ରଖନ୍ତୁ? ତାଙ୍କ ପୁଅ କେମିତି ବ୍ଲାକମେଲ କରୁଥିଲା ତାହାର ପ୍ରମାଣ ଦିଅନ୍ତୁ? ମୃତା ଛାତ୍ରୀ ଜଣକ ପ୍ରମୋଦଙ୍କୁ ଭଲ ପାଉଥିଲେ । ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଝିଅର ପରିବାର ଲୋକେ ଏହାର ବାଧକ ଥିଲେ । ଅନେକ ସମୟରେ ଝିଅକୁ ଗାଳି ମାଡ଼ ବି ଦେଉଥିବା କୁହାଯାଏ ।

ଏସବୁ ସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ସ୍ଥିତି ସବୁଠୁ ଚର୍ଚ୍ଚାରେ ରହିଛି । ହାତ ଓ ନିଜକୁ ବାନ୍ଧି ଦେଇ କିପରି ନିଆଁ ଲଗାଇଲେ, ଏହି ମୂଳ ପ୍ରଶ୍ନର ଉତ୍ତର କେହି ଦେଇ ପାରୁ ନାହାନ୍ତି? ପୋଲିସ ବି ନୀରବ ରହୁଛି । ସଡ଼ିର ଗୋଟିଏ ପାହାଚରେ ବସି ଜଳିଲେ କିପରି? ଏହି ମୂଳ ପ୍ରଶ୍ନର ଉତ୍ତର ପୋଲିସ ପାଖରେ ବି ନାହିଁ । ଛାତ୍ରୀଙ୍କ ପାଖ ପଡ଼ୋଶୀ ନାନା କଥା କହୁଛନ୍ତି, ହେଲେ ପ୍ରମାଣ କାହିଁ? ଅନ୍ୟପକ୍ଷରେ ଝିଅର ବାପା ଜଣେ ଧନୀ ଲୋକ ଓ ବିଜେପିରେ ତାଙ୍କର ଭଲ ଦବଦବା ରହିଛି । ସାଂସଦ ବୈଜୟନ୍ତଙ୍କର କାଳେ ସେ ଭୋଟ ଯୋଗାଡ଼କାରୀ । ତେଣୁ ପୋଲିସର ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠୁଛି । ଏସବୁକୁ ନେଇ ଏବେ ଅଭିଯୁକ୍ତଙ୍କ ଗାଁ ଲୋକେ ଏବେ ଗାଁ ପୁଅ ସପକ୍ଷରେ ବାହାରିବାକୁ ଅଣ୍ଟା ଭିଡ଼ିଛନ୍ତି । ଯଦି ପ୍ରମୋଦ ଦୋଷୀ ତେବେ ପ୍ରମାଣ ଦେଖାନ୍ତୁ । ଯଦି ଦୋଷି ନୁହେଁ, ତେବେ ତାଙ୍କୁ ଅଯଥାରେ କାହିଁକି ହଇରାଣ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦେଖାଯାଉ ପୋଲିସ ବିଜେପି ଏମପିଙ୍କ ଚାପରେ ତଦନ୍ତକୁ ଦିଗହରା କରୁଛି ନା ବାସ୍ତବ ସତକୁ ପଦାକୁ ଆଣୁଛି?


National,International

ଟ୍ରମ୍ପଙ୍କ ଟାରିଫ୍ ମାଡ଼ର ପ୍ରଭାବ

Blog Thumbnail

ଦ କୁଇଭର ବ୍ୟୁରୋ :- ଭାରତ ଉପରେ ଟ୍ରମ୍ପ ଶୁଳ୍କର ପ୍ରଭାବ ପଡିବା ଆରମ୍ଭ କରିଛି । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଏହା ଫଳରେ ଭାରତ ଉପରେ ଏହାର ଗଭୀର ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହେଲାଣି । ବିଶେଷକରି କପଡା ରପ୍ତାନୀ ଭୟଙ୍କର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଉ ଦୁଇଦିନ ମଧ୍ୟରେ ଏହାର ପ୍ରଭାବ ବି ଦେଖିବାକୁ ମିଳିଲାଣି । ଆମେରିକା ୭ ଅଗଷ୍ଟରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି ଏବଂ ୨୭ ଅଗଷ୍ଟରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି କହିଛି । ଭାରତ ଉପରେ ଏହି ଶୁଳ୍କ ଲାଗୁ ହେବା ସହିତ, ରପ୍ତାନିରେ ହ୍ରାସ ହେବାର ସମ୍ଭାବନା ଅଛି, ଭାରତରୁ ଆମେରିକା ଯାଉଥିବା ସାମଗ୍ରୀର ମୂଲ୍ୟକୁ ମଧ୍ୟ ଏହା ପ୍ରଭାବିତ କରିପାରେ । ଫଳରେ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ଉତ୍ପାଦନ ଗୁଡ଼ିକର ମୂଲ୍ୟବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।


ତାମିଲନାଡୁର କିଛି କପଡା କମ୍ପାନୀରେ ଉତ୍ପାଦନ ବନ୍ଦ

ତିରିପୁରର କିଛି କମ୍ପାନୀରେ ଉତ୍ପାଦନ ବନ୍ଦ,ଅନ୍ୟ କମ୍ପାନୀ ଉତ୍ପାଦନ ବନ୍ଦ ବିକଳ୍ପ ଉପରେ ବିଚାର କରୁଛନ୍ତି,ଅର୍ଡରର କ୍ରିୟାନ୍ୱୟନ ଉପରେ ବି ରୋକ,କପଡା ଶିଳ୍ପ ଅପେକ୍ଷା କରିବା ସ୍ଥିତିରେ ଅଛନ୍ତି,ଦେଖ ଓ ଅପେକ୍ଷା କର ସ୍ଥିତିରେ ଅଛନ୍ତି କପଡା କମ୍ପାନୀ,ବ୍ରିଟେନ ବଜାର ଉପରେ ଆଖି ରଖିଛନ୍ତି ତାମିଲନାଡୁ କମ୍ପାନୀ ନିକଟରେ ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି l ତିରିପୁର ଭାରତର ପ୍ରମୁଖ ଟେକ୍ସଟାଇଲ ହବ୍,ଏଠାରୁ ପ୍ରତ୍ୟେକ ବର୍ଷ ୪୫ ହଜାର କୋଟି ଟଙ୍କାର ରପ୍ତାନୀ ହୋଇଥାଏ,ଏଥିରୁ ୩୦ % ଅର୍ଥାତ ୧୨ହଜାର କୋଟି ଆମେରିକାକୁ ଯାଇଥାଏ l ଆମେରିକାର ରିଟେଲ ବିକ୍ରେତା ଭାରତରୁ ଆସୁଥିବା ଅର୍ଡରଗୁଡିକୁ ସ୍ଥିଗତ ରଖିଛନ୍ତି,ଭାରତୀୟ ରପ୍ତାନୀକାରୀଙ୍କୁ ଇ-ମେଲ ଆସିଛି l ରପ୍ତାନୀ ବନ୍ଦ ହେବା ଫଳରେ ବାଣିଜ୍ୟରେ ୪୦ରୁ ୫୦% ହ୍ରାସ ପାଇପାରେ l

District,City

ଗଞ୍ଜାମ ଛତ୍ରପୁରରେ ‘ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପ’ର ଶୁଭାରମ୍ଭ

Blog Thumbnail

ଛତ୍ରପୁର( ଦ କୁଇଭର ):- ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଛତ୍ରପୁରର ମାଟିଖାଲରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ବିଶୋଧନ କରିବା ଦିଗରେ ଏକ ଡିସାଲାଇନେସନ୍ ଏସଡବ୍ଲୁଆରଓ ଜଳ ବିତରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।


ଶ୍ରୀ ପ୍ରଧାନ ଏହି ଓ୍ୱାଟର୍ ୟୁନିଟ ପରିଦର୍ଶନ କରିବା ସହ ପାଣି ବିଶୋଧନ ପରେ ତା’ର ସ୍ୱାଦ ମଧ୍ୟ ଚାଖିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆଜି ଯେଉଁ ପଦକ୍ଷେପର ଶୁଭାରମ୍ଭ ହୋଇଛି ତାହା ସାମୁଦ୍ରିକ ଲୁଣି ଜଳକୁ ମଧୁର ଜଳରେ ପରିଣତ କରିବା ଦିଗରେ ପ୍ରକ୍ରିୟାକରଣର ଏକ ପ୍ରକଳ୍ପ । ଗଞ୍ଜାମ ଏକ ଉପକୂଳବର୍ତ୍ତୀ ଜିଲ୍ଲା ହୋଇଥିବାରୁ ବିଭିନ୍ନ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାଏ । ସମୁଦ୍ର ନିକଟତର ହେବା ସତ୍ତ୍ୱେ ଭୂତଳ ଜଳରେ ଲୁଣିଆ ସ୍ତର ଅଧିକ ଏବଂ ସୀମିତ ମଧୁର ଜଳ ସମ୍ପଦ ଯୋଗୁଁ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି । ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧତା ଏକ ମୌଳିକ ଆବଶ୍ୟକତା । ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳର ଜଳ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ । ସ୍ଥାନୀୟ ଅଞ୍ଚଳ ପାଇଁ ଦୀର୍ଘ ଦିନ ଧରି ଏକ ଚ୍ୟାଲେଞ୍ଜ ହୋଇ ରହିଥିବା ଜଳ ଆବଶ୍ୟକତାକୁ ପୂରଣ କରିବ । ଆଜିର ପଦକ୍ଷେପ ପାଇଁ ସୁସ୍ଥ ସମାଜ ଗଠନ କରିବା ତଥା ସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଆଇଆରଇଲକୁ ସେ ଧନ୍ୟବାଦ ଜଣାଇଛନ୍ତି ।


କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଷ୍ଟାଟେଜିକ ସକ୍ଟରରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍ ଦେଶର ଏକ ମହତ୍ୱପୂର୍ଣ୍ଣ କମ୍ପାନୀ । ବିଗତ ୪୦ରୁ ୪୫ ବର୍ଷ ଧରି ଦେଶର ବିକାଶ ପାଇଁ ବିରଳ ମୃତ୍ତିକା ପାଇଁ କାମ କରୁଛନ୍ତି । ବ୍ୟବସାୟିକ ଉଦ୍ୟୋଗ ଭାବେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର(ବିଏଆରସି) ନିଜସ୍ୱ ଟେକ୍ନୋଲୋଜି ମାଧ୍ୟମରେ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୁଣି ପାଣିକୁ ବିଶୁଦ୍ଧ କରି ଲୋକଙ୍କ ପାଖରେ ସ୍ୱଚ୍ଛ ପାନୀୟ ଜଳ ନାଗରିକଙ୍କ ପାଖରେ ପହଞ୍ଚାଇବାର ଟେକ୍ନୋଲୋଜି ସାମ୍ନାକୁ ଆଣିଥିଲେ । ଭାରତୀୟ ଟେକ୍ନୋଲୋଜିରେ ଏଠାରେ ଏକ ସେଭଳି ଏକ ପ୍ଲାଣ୍ଟ୍ ସ୍ଥାପନା ହୋଇଛି ।


ଇସ୍ରାଇଲ ଯେପରି ଲୁଣି ପାଣିକୁ ବିଶୁଦ୍ଧ କରି ବ୍ୟାପକ ଭାବେ ତାହାକୁ କାମରେ ଲଗାଉଛି, ଏଠାରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମାଟିଖାଲ, ଆର୍ଯ୍ୟପଲ୍ଲୀ ଅଞ୍ଚଳର ଲୋକମାନଙ୍କୁ ପାନୀୟ ଜଳ ଯୋଗାଯିବ । ଏଥିପାଇଁ ପ୍ରତି ଜଳ ଲିଟର ପିଛା ମାତ୍ର ୧୧ ପଇସା ଖର୍ଚ୍ଚ ହେବ । ଆମ ରାଜ୍ୟ ଓଡ଼ିଶାରେ ୪୫୦ କିମି ସମୁଦ୍ର ତଟ ଅଛି । ତଟବର୍ତ୍ତୀ ଅଞ୍ଚଳରେ ବିଶୁଦ୍ଧ ପାଣିର ସମସ୍ୟା ଥାଏ । ସେ ଦିଗରେ ଆଜି ଆଇଆରଇଏଲ ତରଫରୁ ସିଏସଆର ପ୍ରକଳ୍ପ ଅଧୀନରେ ଆଖପାଖ ଗାଁକୁ ପାଣିର ବ୍ୟବସ୍ଥା କରାଯିବା ସାଧୁ ଉଦ୍ୟମ । ସମୁଦ୍ର ଲୁଣିପାଣିକୁ ମଧୁର ଜଳରେ ପରିଣତ କରି ଲୋକଙ୍କୁ ପ୍ରଦାନ କରିବା କାର୍ଯ୍ୟ ଏହା ରାଜ୍ୟରେ ସମ୍ଭବତଃ ପ୍ରଥମ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ,ଆସ୍କା ସାଂସଦ ଅନିତା ଶୁଭଦର୍ଶୀନୀ,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Weather

ଆଜିଠାରୁ ପ୍ରବଳ ବର୍ଷା

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜିଠାରୁ ପ୍ରବଳ ବର୍ଷା । ଆସନ୍ତାକାଲି ଉତ୍ତର ପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।


ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା , ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି ଓ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୬ ତାରିଖରୁ ବର୍ଷା ପରିମାଣ କମିବ ।

Crime

ବ୍ୟବସାୟୀଙ୍କୁ ଗୁଳି କରି ହୀରା ପଥର ଲୁଟ ଘଟଣା

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ସ୍ଥାନୀୟ ଶାସ୍ତ୍ରୀନଗରର ହୀରା ବ୍ୟବସାୟୀ ଏସ୍. ବାଲକ୍ରିଷ୍ଣା ଆଚାରୀ ଓରଫ ରୁନା ଏବଂ ତାଙ୍କ ପୁତୁରା ସୁନୀଲ କୁମାର ସାହୁଙ୍କୁ ଗୁଳିମାଡ଼ କରି ହୀରାପଥର ଲୁଟ୍ ଘଟଣାରେ ପୁଲିସ ଘଟଣାର ମାଷ୍ଟରମାଇଣ୍ଡ ମଳୟଙ୍କ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ କାର୍, ଗୁଳି ଓ ମୋବାଇଲ ଜବତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଆସିକା ନିକଟ କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଇ ପନ୍ଦରାସାହିର ଅରୁଣ କୁମାର ଉପାଧ୍ୟାୟ ଓରଫ ମଳୟ(୫୦) ବୋଲି ପୁଲିସ ସ୍ପଷ୍ଟ କରିଛି। ପୁଲିସ ମଳୟ ସମେତ ଭୁବନେଶ୍ଵର ଖଣ୍ଡଗିରି ଥାନା ଅନ୍ତର୍ଗତ ବେଗୁନିଆ ମସଜିଦ୍ ନିକଟ ଗୋଲଡେନ୍ ସୋସାଇଟିର ସରୋଜ କୁମାର ମହାନ୍ତି(୫୯), ଯଦୁପୁର ମାଦ୍ରାସ୍ ମସଜିଦ୍ ଅଞ୍ଚଳର ଶେଖ୍ ରାଜୁ(୨୩) ଓ ସାହିଲ୍‌ ଖାନ୍(୨୧)କୁ ଗିରଫ କରିଛି। ଅଭିଯୁକ୍ତମାନେ ଦୁବାଇର ହୀରା ବ୍ୟବସାୟୀ ବୋଲି ପରିଚୟ ଦେଇ ସେଭଳି ପୋଷାକ ପିନ୍ଧି ରୁନାଙ୍କ ଘରକୁ ଆସିବା ପରେ ଗୁଳିମାଡ଼ କରି ଲୁଟ୍ କରିବା ପରେ ଫେରାର ହୋଇଯାଇଥିଲେ ବୋଲି ବ୍ରହ୍ମପୁର ଏସ୍.ପି ଡା.ଶ୍ରବଣା ବିବେକ.ଏମ୍ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଏକ କାର୍, ୩ଟି ମୋବାଇଲ, ୨ଟି ଗୁଳି ଓ କ୍ୟାଟ୍ରିଜ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶାସ୍ତ୍ରୀନଗର ୫ମ ଲାଇନ୍‌ର ରୁନା ଆଚାରୀ ବିଶାଖାପାଟଣାର ଜଣେ ମୂଲ୍ୟବାନ ପଥର ଓ ହୀରା ବ୍ୟବସାୟୀ। ମୁଖ୍ୟ ଅଭିଯୁକ୍ତ ତଥା ମୂଲ୍ୟବାନ ପଥର ବ୍ୟବସାୟରେ ଦଲାଲ ଭାବେ କାର୍ଯ୍ୟ କରୁଥିବା ମଳୟ ସହ ପୂର୍ବରୁ ରୁନାଙ୍କ ବ୍ୟବସାୟିକ ସମ୍ପର୍କ ରହିଥିଲା । ପ୍ରେମ କୁମାର ନାମକ ଜଣେ ରତ୍ନପଥର ବ୍ୟବସାୟୀଙ୍କ ନିକଟରେ ୯.୯୬ କ୍ୟାରେଟ୍‌ର ଏକ ମୂଲ୍ୟବାନ ପଥର ରହିଥିବା ରୁନା ଆଚାରୀ ଜାଣିବାକୁ ପାଇଥିଲେ। ଅଭିଯୁକ୍ତ ମଳୟଙ୍କ ଜରିଆରେ ସେ ଉକ୍ତ ମୂଲ୍ୟବାନ ପଥର କିଣିବାକୁ ଚାହିଁଥିଲେ। ଏହାପରେ ଅଭିଯୁକ୍ତ ମଳୟ ଓ ଉପରୋକ୍ତ ୩ ଅଭିଯୁକ୍ତ ମିଶି ପ୍ରେମ କୁମାରଙ୍କ ଠାରୁ ଉକ୍ତ ମୂଲ୍ୟବାନ ପଥର ଲୁଟ୍ ପାଇଁ ଯୋଜନା କରିଥିଲେ। ରୁନା ଏବଂ ମଳୟଙ୍କ କହିବା ପ୍ରକାରେ ବିଶାଖାପାଟଣାରୁ ପ୍ରେମ କୁମାର ଭୁବନେଶ୍ଵରକୁ ଆସିଥିଲେ| ସେଠାରେ ଡିଲ୍ ହୋଇନପାରିବାରୁ ଗୁନା ଓ ପ୍ରେମ କୁମାର ବ୍ରହ୍ମପୁର ଚାଲି ଆସିଥିଲେ | ଘଟଣାଦିନ ଅଭିଯୁକ୍ତମାନେ ବ୍ରହ୍ମପୁରକୁ ଆସି ଦୁବାଇର ଜଣେ ବ୍ୟବସାୟୀ ଆସିଥିବା କହି ରୁନାଙ୍କ ଘରେ ପହଞ୍ଚି ଉକ୍ତ ଅଳଙ୍କାର ଲୁଟ କରି ନେଇ ଯାଇଥିଲେ। ରୁନା ପ୍ରତିବାଦ କରିବାରୁ ସେମାନେ ଗୁଳିମାଡ଼ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

State

ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା

Blog Thumbnail

ଦ କୁଇଭର ବ୍ୟୁରୋ :- ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା, କର୍ମଚାରୀ ଠିକ ଭାବରେ କାମ କରୁଛନ୍ତି କି ନାହିଁ, ଯାଞ୍ଚ କରିବ, କାର୍ଯ୍ୟାଳୟରେ ଠିକ ସମୟରେ ଉପସ୍ଥାନ ନ ରହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ, ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରୁନଥିବା ସରକାରୀ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଅବସର ପୂର୍ବରୁ ଅବସର ଦେବା, ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଉତ୍ତରକୁ ଅଗ୍ରାଧିକାର ଦିଆଯିବା ଭଳି ନିଷ୍ପତି ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ l ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ୧୫ ଦିନିଆ କାର୍ଯ୍ୟସୂଚୀ ସୂଚିତ କରାଯାଇ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।ଠିକ ସମୟରେ କର୍ମଚାରୀମାନେ ଅଫିସରେ ପହଞ୍ଚିବା ପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ତାକୁ ନିଶ୍ଚିତ କରିବା ପାଇଁ ସରକାର କୃତ୍ତିମ ବୁଦ୍ଧିମତ୍ତା (AI) ଭିତ୍ତିକ ଉପସ୍ଥାନ ଯାଞ୍ଚ ବ୍ୟବସ୍ଥା କରିବାକୁ ବିଚାର କରୁଛନ୍ତି । ଲୋକସେବା ଭବନ ଓ ଖାରବେଳ ଭବନରୁ ଏହାକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରାଯିବ ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସବୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।


ଯେଉଁ ସରକାରୀ ଅଧିକାରୀ ବା କର୍ମଚାରୀମାନେ ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି, ସେମାନଙ୍କୁ ବିଭାଗ ସ୍ତରରେ ମାସିକ ବା ବିଭିନ୍ନ ସମୟରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା ହୋଇ ତଥ୍ୟ ରଖାଯିବ । ଏହା ପରେ ସରକାରୀ ବ୍ୟବସ୍ଥା ଅନୁସାରେ ଅବସର ପୂର୍ବରୁ ଅବସର ଦେବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ସେହିପରି କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ନ ରହିବା, ଅଭିଯୋଗ ଶୁଣାଣିରେ ଅପ୍ରଭାବୀ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ ଦୁର୍ବଳ ହାର, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା ନ କରାଯିବା ଆଦି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରାଯାଇଛି । ଏ ସଂପର୍କରେ ସର୍ବଦା ସତର୍କତା ଓ ସଚେତନ ରହି କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସରକାରୀ କ୍ରୟ ପ୍ରକ୍ରିୟା, ସେବା ଓ ଦ୍ରବ୍ୟ ବିକ୍ରୟ, ମାନବ ସମ୍ବଳ ପରିଚାଳନା, ଲୋକମାନଙ୍କୁ ସେବା ପ୍ରଦାନ ଏବଂ ପ୍ରବର୍ତ୍ତନରେ ଅନିୟମିତତା ଆଦି ଦୁର୍ନୀତିର ସମ୍ଭାବ୍ୟ କ୍ଷେତ୍ର ବୋଲି ବିବେଚନା କରାଯିବା ସହିତ ଭିଜିଲାନ୍ସ ପ୍ରଶାସନକୁ ସୁଦୃଢ଼ୀକରଣ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ବିଭାଗୀୟ କାର୍ଯ୍ୟ ତଦାରଖ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ପ୍ରଭାବିତ କରିବା ପାଇଁ ତଥ୍ୟ ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ କାର୍ଯ୍ୟକାରୀ କରାଯିବା ସଂପର୍କରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ମଞ୍ଜୁରୀ ପାଇଁ ଆବଶ୍ୟକ ଭୂ ଅଧିଗ୍ରହଣ, ପିଏମଜି ଓ ପ୍ରଗତିରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସଂପର୍କରେ ଜିଲ୍ଲାପାଳମାନେ ପ୍ରତି ମାସରେ ୭ ତାରିଖ ସୁଦ୍ଧା ଜିଲ୍ଲାସ୍ତରରେ ସଂପୃକ୍ତ ବିଭାଗୀୟ ମୁଖ୍ୟ ବିଶେଷ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମାସର ୧୨ ତାରିଖ ସୁଦ୍ଧା ସମୀକ୍ଷା ବୈଠକ କରିବେ । ପରବର୍ତ୍ତୀ ସମୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାସର ଶେଷ ଶନିବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ ଅକ୍ଟୋବର ୧ ତାରିଖରେ ଶୁଭାରମ୍ଭ ହେବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଛି । ସେହିପରି ଅଧିକାରୀମାନଙ୍କର କ୍ଷେତ୍ର ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗସ୍ତ କରି ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଛି ।ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

District,State

ରାଜଭବନ ସମ୍ମୁଖରେ ଧାରଣାରେ ବସିଲେ ଗଞ୍ଜାମର ପୂର୍ବତନ ସରପଞ୍ଚ ଆରତୀ ଦେବୀ

Blog Thumbnail

ଦ କୁଇଭର ବ୍ୟୁରୋ :- ଗତ ୨୮ ଜୁଲାଇରେ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଭିଯୋଗ କରିବା ପରେ ସୋମବାର ରାଜଭବନ ସମ୍ମୁଖରେ ଗଞ୍ଜାମର ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଆରତୀ ଦେବୀ ଧାରଣାରେ ବସିଛନ୍ତି। ନିଜ ଅଞ୍ଚଳର ବିରଳ ଜୀବଜନ୍ତୁ, ପ୍ରାକୃତିକ ପରିବେଶ, ପ୍ରାଚୀନ କୀର୍ତ୍ତି ଓ ଜଳାଶ୍ରୟକୁ ଖଣ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ ୭ ଦଫା ଦାବି ନେଇ ସେ ଧାରଣାରେ ବସିଛନ୍ତି ।


ସେ ଅଭିଯୋଗ କରିଛନ୍ତି, ଢୁଙ୍କାପଡା ପଞ୍ଚାୟତରେ ଦହିମୁଣ୍ଡିଆ ପାହାଡ଼ ସମେତ ଖଣି ଖନନ ବେଆଇନ ଭାବେ ସରକାରୀ ଅଧିକାରୀମାନଙ୍କର ଅନୈତିକ ସହଯୋଗରେ ଚାଲୁଛି । ଯାହା ଫଳରେ ଖଣି ମାଫିଆମାନେ ଅନୈତିକ ବ୍ଲାଷ୍ଟିଂ ଓ କଟିଙ୍ଗ କରି କୋଟି କୋଟି ଟଙ୍କାର ପଥର ଲୁଟ୍ କରି ସାରିଲେଣି । ଫଳରେ ବିରଳ ଜୀବଜନ୍ତୁ ତଥା ଗଞ୍ଜାମର ଗର୍ବ କୃଷ୍ଣସାର ମୃଗ, ମୟୂରଙ୍କ ଜୀବନ ବିପଦରେ ପଡିଛି ।ବହୁ ପ୍ରାଚୀନ ସପ୍ତେଶ୍ଵର ମନ୍ଦିରର ଚାରିପଟେ ଥିବା ଏହି ସମୁହ ଖଣି ଖନନକୁ ନେଇ ପୂର୍ବରୁ ପ୍ରଶ୍ନ କରିଥିଲେ ବି ଜିଲ୍ଲା ପ୍ରଶାସନ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଅଞ୍ଚଳର ଜଳାଶୟ ନଷ୍ଟ ହୋଇ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଯେଉଁଥିପାଇଁ ଚଳିତବର୍ଷ ଚାଷ ବି ହୋଇନି । ପୂର୍ବତନ ଜିଲ୍ଲାପାଳ ଗ୍ରାମସଭା ନକରି ମିଛ ରିପୋର୍ଟ ଦାଖଲ କରିଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ସହ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଥିବା ଅଭିଯୋଗ ଆଣି ସେ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି, ମାଫିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଚାଲିଛନ୍ତି । ତେଣୁ ଲୋକଙ୍କ ସରକାର ଶୁଣିବେ ବୋଲି ଆଶା ନେଇ ସେ ଓ ତାଙ୍କ ସହ ଗ୍ରାମବାସୀ ୭ ଦିନ ପାଇଁ ସମୂହ ଧାରଣା ଦେଇଛନ୍ତି । ଆଗକୁ ସରକାର ନଶୁଣିଲେ ଆମରଣ ଅନଶନ କରିବୁ ଓ ଯେଉଁଠି ଜନ୍ମ ହୋଇଛୁ ସେଇଠି ମରିବୁ ବୋଲି ଆରତୀଙ୍କ ସହିତ ଧାରଣାରେ ବସିଥିବା ଗ୍ରାମବାସୀମାନେ କହିଛନ୍ତି ।

Shree Jagannath

ପୁରୀ ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ

Blog Thumbnail

ପୁରୀ( ଦ କୁଇଭର ):- ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା । ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ । ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା' ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖାଯାଇଛି । ଏଥି ସହିତ ଫୋନ୍ ନମ୍ୱର ମଧ୍ୟ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦିଆଯାଇଛି । ଯାହାକୁ ନେଇ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ପୁରୀ ଜଗନ୍ନାଥ ମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗ ବୁଢ଼ି ମା' ମନ୍ଦିର 2ଟି କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଗୋଟିଏ ପାର୍ଶ୍ବରେ ଲେଖାାଯାଇଛି ଯେ, ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଆଉ ଏକ ପାର୍ଶ୍ବରେ କିଛି ଫୋନ ନମ୍ବର ମଧ୍ୟ ଦିଆଯାଇ ଫୋନ କର, ନକଲେ ମହାତାଣ୍ଡବ ହେବ ବୋଲି ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଲେଖାଯାଇଛି । 2ଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ଆତଙ୍କବାଦୀଙ୍କ ନାଁ ନେଇ କିଏ ଏପରି ଲେଖିଲା ? ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଏହି ଘଟଣାକୁ ନେଇ ପୁରୀ ପୋଲିସର ତଦନ୍ତ ଆରମ୍ଭ କରିଛି।

Crime

ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ ଗ

Blog Thumbnail

ଦ କୁଇଭର ବ୍ୟୁରୋ :- ରାଜନଗରରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ ପିଇସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କ ସହ ମୋଟ ୫ ଜଣଙ୍କୁ ଉଠେଇ ଆଣିଛି ରାଜନଗର ପୋଲିସ l ସୂଚନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ଉଦଳାରେ ମଧ୍ୟ ନାବାଳିକାକୁ ଜଙ୍ଗଲରେ ଏକୁଟିଆ ପାଇ ୩ ଜଣ ଯୁବକ ମିଶି ଗଣ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଲେ । ଯାହାକୁ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହିତ ୨ ଜଣ ନାବାଳକ ସାଙ୍ଗଙ୍କୁ ଅଟକ ରଖିଥିଲା ।

National

୩ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ କଲେ ଉଦ୍ଘାଟନ : ପ୍ରଧାନମନ୍ତ୍ରୀ

Blog Thumbnail

ଦ କୁଇଭର ବ୍ୟୁରୋ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି । ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ, ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ନାଗପୁର –ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ରହିଛି ।ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକ ମୁଖ୍ୟ ଷ୍ଟେସନରୁ ବେଙ୍ଗାଲୁରୁ, ଧାରବାଡ଼, ଦୁବଲୀ, ହାବେରୀ, ଦାବଣଗେରେ, ତୁମକୁର, ଯଶଓ୍ୱନ୍ତପୁର ଏବଂ ବେଲଗାବୀରେ ପହଞ୍ଚିବ ।ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ କଟରା, ଜମ୍ମୁ ତୱି, ପଠାନକୋଟ କ୍ୟାଣ୍ଟ, ଜଳନ୍ଧର ସିଟି, ବ୍ୟାସ ଏବଂ ଅମୃତସରରେ ପହଞ୍ଚିବ ।


ନାଗପୁର-ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ୮୮୧ କିମି ଲମ୍ବା ବନ୍ଦେ ଭାରତ ରୁଟ୍ ଟ୍ରେନ । ଏହି ବନ୍ଦେ ଭାରତ ଟ୍ରେନ ସପ୍ତାହକୁ ୬ ଦିନ ଚାଲିବ । ଏଥିରେ ୫୯୦ ସିଟ୍ ରହିଛି । ଯାହାର ଇକୋନୋମି ଟିକେଟ ଦାମ୍ ୧,୫୦୦ ରହିଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ପ୍ରଧାନମନ୍ତ୍ରୀ ଆରଭି ରୋଡ(ରଗିଗୁଡ଼ା)ରୁ ଇଲେକଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଛନ୍ତି । ସହର ସଂଯୋଗୀକରଣ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ବି କରିଛନ୍ତି ପ୍ରଧାନମନ୍ତ୍ରୀ ।୧୯.୧୫ କିଲୋମିଟର ଲମ୍ବ ୟେଲୋ ଲାଇନରେ ୧୬ଟି ଷ୍ଟେସନ ଅଛି । ଯେଉଁଥିରେ RV ରୋଡ୍, ରାଗି ଗୁଡ୍ଡା, ଜୟଦେବ ହସ୍ପିଟାଲ, BTM ଲେଆଉଟ୍, ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ, ବୋମାନା ହାଲ୍ଲି, ହୋଙ୍ଗରା ସାଣ୍ଡ୍ରା, କୁଡଲୁ ଗେଟ୍, ସିଙ୍ଗା ସାଣ୍ଡ୍ରା, ହୋସା ରୋଡ୍, ବେରେଟେନା ଅଗ୍ରହାରା, ଇଲେକ୍ଟ୍ରୋନିକ୍ ସିଟି, ଇନଫ୍ଲୋସିସ୍ ଫାଉଣ୍ଡେସନ୍ କୋନାପ୍ପାନା ଅଗ୍ରହାରା, ହୁସ୍କୁର ରୋଡ୍, ହେବ୍ବା ଗୋଦୀ ଏବଂ ବୋମାସାଣ୍ଡ୍ରା ଅନ୍ତର୍ଭୁକ୍ତ ।

State

ଆଜି ବିଶ୍ବ ହାତୀ ଦିବସ

Blog Thumbnail

ଦ କୁଇଭର ବ୍ୟୁରୋ :- ଆଜି ବିଶ୍ବ ହାତୀ ଦିବସ । ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ଚାରି ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫ ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗ । ସେମାନଙ୍କଠାରୁ ୫ କେଜି ଓଜନର ୪ ହାତୀଦାନ୍ତ ଜବତ ହୋଇଥିଲା । ଏମାନେ ହାତୀଦାନ୍ତକୁ ବିଦେଶକୁ ଚାଲାଣ କରିବା ଚକ୍ଟରରେ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା । ଗତ ଜୁନ୍ ୨ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ବୌଦ୍ଧ ଜିଲ୍ଲାର ପ୍ରମୋଦ ପରିଡ଼ା ନାମକ ଜଣେ ଶିକାରୀଠାରୁ ୨ଟି ହାତୀଦାନ୍ତ ଜବତ କରିଥିଲା । ଦନ୍ତା ଦାନ୍ତ ପାଇବା ପାଇଁ ପ୍ରତିବର୍ଷ ଅନେକ ଗଜରାଜଙ୍କୁ ମାରି ଦିଆଯାଉଛି । କେଉଁଠି ଶିକାରୀ ଗୁଳିରେ ହାତୀ ଟଳିବା ପରେ ଦାନ୍ତ କାଟି ନେଉଛନ୍ତି । କେଉଁଠି ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ହାତୀର ଅକାଳ ମୃତ୍ୟୁ ପରେ ଦାନ୍ତ ଗାଏବ୍ ହୋଇଯାଉଛି । ହାତୀ ଦାନ୍ତ ଚାଲାଣ ସିଣ୍ଡିକେଟ୍‌ର ଚେର ଓଡ଼ିଶାରୁ ବିଦେଶକୁ ଲମ୍ବିଛି, ଭାୟା ବାଂଲାଦେଶ ଓ ନେପାଳ ହୋଇ ଚୀନକୁ ଚାଲାଣ ହେଉଛି । ବନ ବିଭାଗର ତଥ୍ୟ ଆଧାରରେ, ୨୦୧୭-୧୮ରୁ ଗତବର୍ଷ ନଭେମ୍ବର ଭିତରେ ମୋଟ ୬୭୪ ହାତୀ ମରିଛନ୍ତି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ମୃତ୍ୟୁ ପରେ ପ୍ରାୟ ସବୁ ହାତୀଙ୍କ ଦାନ୍ତ କାଟି ନେଇଛନ୍ତି ଶିକାରୀ । ଟ୍ରେନ୍ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍‌କା ଖାଇ ୧୨୩ଟି ହାତୀଙ୍କ ପ୍ରାଣ ଯାଇଛି । ଏଥିରୁ ଅଧିକାଂଶ ହାତୀଙ୍କ ଦାନ୍ତ ଗାଏବ ହୋଇଯାଇଛି । ତଥ୍ୟକୁ ବାଦ୍ ଏସବୁ ସରକାରୀ ତଥ୍ୟ ଦେଲେ ପ୍ରତିବର୍ଷ ବାସ୍ତବରେ ଅନେକ ଦନ୍ତାହାତୀ ଶିକାର କରାଯାଉଛି ।

Crime

ବୋମା ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡିଲା; ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

Blog Thumbnail

ଜଗତସିଂହପୁର( ଦ କୁଇଭର ):- ଜଗତସିଂହପୁରଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ବୋରିକିନା ମୁଖ୍ୟ ରାସ୍ତା କରକେଇ ହାଟ ନିକଟରେ ବୋମା ଫୁଟି ଜଣେ ଯୁବକଙ୍କ ଡାହାଣ ହାତ ପାପୁଲି ଛିଡି ଯାଇଥିବା ଜଣାପଡିଛି। ଗୁରୁତର ବ୍ୟକ୍ତି ହେଲେ ଦିବ୍ୟଜ୍ୟୋତି ଶତପଥୀ l ସୂଚନା ଅନୁଯାୟୀ ଆଗରୁ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ବାଲିକୁଦା ଥାନା ଅନ୍ତର୍ଗତ ତେର୍ତାଙ୍ଗ ଗ୍ରାମର ଦିବ୍ୟଜ୍ୟୋତି ଶତପଥୀ ଓ ତାର ଅନ୍ୟ ସହଯୋଗୀ ହାତରେ ୨ଟି ବୋମା ଧରି କେଉଁଆଡେ ଯାଉଥିବା ବେଳେ ଦିବ୍ୟ ହାତରେ ଥିବା ଗୋଟିଏ ବୋମା ଫୁଟି ତାର ଡାହାଣ ହାତ ପାପୁଲି ଛିଡି ଯାଇଥିଲା। ଅନ୍ୟ ଏକ ବୋମାଟି ଖସି ଯାଇଥିଲା।


ବୋମାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ବାଲିକୁଦା ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ବାଲିକୁଦା ପୁଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଦିବ୍ୟକୁ ଉଦ୍ଧାର କରି ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ ଏକ ଅଫୁଟା ବୋମାକୁ ଜବତ କରି ବାଲିକୁଦା ଥାନା କୁ ନେଇଥିଲେ।ଏହି ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପତିକ୍ରିୟା ରଖି ପ୍ରକାଶ କରିଛନ୍ତି ଆଗରୁ ଅନେକ ଅପରାଧ ଘଟାଇଥିବା ଦିବ୍ୟ ଓ ତାର ସହଯୋଗୀ ଏରସମା ଯାଉଥିବା ବେଳେ କୌଣସି ଅପରାଧିକ ଘଟଣା ଘଟାଇବା ଉଦେଶ୍ୟରେ ବୋମା ସାଥିରେ ନେଇଥିଲେ। ତେବେ ଏହି ଘଟଣାରେ ତାର ହାତ ପାପୁଲି ଛିଡି ଗୁରୁତର ହୋଇଛି ଓ ଅନ୍ୟ ସହଯୋଗୀ ସେଠାରୁ ଖସି ପଳାଇଛନ୍ତି ଯାହାର ତଦନ୍ତ ଜାରି ରହିଛି। ଏପରିକି ଅଫୁଟା ବୋମା କୁ ନିଷ୍କ୍ରିୟ କରିବା ପାଇଁ ବୋମା ନିଷ୍କ୍ରିୟ ଦଳର ସହାୟତା ନିଆଯାଇଛି। ତେବେ ଦିବ୍ୟ ସୁସ୍ଥ ହେବା ପରେ ତାର ବୟାନ ଆଧାରରେ ହିଁ ଅନ୍ୟ ସହଯୋଗୀ ଙ୍କ ପରିଚୟ ମିଳିବା ସହ ସେ କେଉଁ କାରଣରୁ ଓ କେଉଁ ଅପରାଧ ଘଟାଇବା ପାଇଁ ଷଡଯନ୍ତ୍ର କରି ବୋମା ନେଇ ଏରସମା ଯାଉଥିଲେ ତାହାର ସତ୍ୟାସତ୍ୟ ଜଣାପଡିବ।

Shree Jagannath

ମହାପ୍ରସାଦ ଅନ୍‌ଲାଇନରେ ବିକ୍ରି ନକରିବାକୁ ଆଇନ ମନ୍ତ୍ରୀଙ୍କ ଅପିଲ୍

Blog Thumbnail

ପୁରୀ ( ଦ କୁଇଭର ):- ମହାପ୍ରସାଦ ଅନ୍‌ଲାଇନରେ ବିକ୍ରି ନକରିବାକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପିଲ୍ କରିଛନ୍ତି। ସେ କହିଛନ୍ତି, ମହାପ୍ରସାଦର ପବିତ୍ରତା ଅଲଗା। କିଛି ଦିନ ତଳେ କିଛି ସଂସ୍ଥା ତରଫରୁ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନ୍‌ଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି। ସାଙ୍ଗରେ ନେଲା ବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମହାପ୍ରସାଦର ଅନ୍‌ଲାଇନ ବିତରଣ ହେବନାହିଁ । ଅନ୍‌ଲାଇନ ବିକ୍ରି ପାଇଁ କିଛି ଉଦ୍ୟମ ଆରମ୍ବ ହୋଇଥିଲା କିନ୍ତୁ ଏଥିପାଇଁ ସରକାର ଏବଂ ମନ୍ଦିର ପ୍ରଶାସନ ରାଜି ନାହାନ୍ତି। ଏନେଇ ସବୁ ମନ୍ଦିରକୁ ଆଇନ ମନ୍ତ୍ରୀ ଅପିଲ କରି ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନ୍‌ଲାଇନରେ ବିକ୍ରି କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି।

Crime

ଯୁବତୀଙ୍କ ଭିଡ଼ିଓ ଭାଇରାଲ୍ ମାମଲାରେ ଅଭିଯୁକ୍ତ ଗିରଫ

Blog Thumbnail

ବ୍ରହ୍ମପୁର( ଦ କୁଇଭର ):- ଜଣେ ସଂପର୍କୀୟ ଯୁବତୀଙ୍କ ଭିଡ଼ିଓ ଭାଇରାଲ୍ କରିବା ମାମଲାରେ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି | ଅଭିଯୁକ୍ତ ଜଣକ ହିଞ୍ଜିଳି ଅଞ୍ଚଳର ହୋଇଥିବା ବେଳେ ସେ ବର୍ତମାନ କୋରାପୁଟରେ ରହୁଛନ୍ତି । ପୁଲିସ ଅଭିଯୁକ୍ତ ଠାରୁ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ଡ୍ରାଇଭର ହୋଇଥିବା ତଳେ ସେ ନିଜ ପରିବାର ସହ କୋରାପୁଟରେ ରହୁଛନ୍ତି। ଅଭିଯୋଗକାରୀ ଯୁବତୀ ଜଣକ ଘରୋଇ ବ୍ୟାଙ୍କରେ କାମ କରୁଥିବାବେଳେ ଅଭିଯୁକ୍ତ ତାଙ୍କର ସଂପର୍କୀୟ ବୋଲି ଜଣାପଡିଛି l ଅଭିଯୁକ୍ତ କୋରାପୁଟରୁ ନିଜ ଗ୍ରାମକୁ ଆସିବା ସମୟରେ ଯୁବତୀଙ୍କ ଘରକୁ ଯିବାଆସିବା କରିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ | ଦୁଇବର୍ଷ ପୂର୍ବେ ଅଭିଯୁକ୍ତ ଜଣକ ନିଜ ସଂପର୍କୀୟ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଉଠାଇ ନେଇଥିଲେ | ଇତି ମଧ୍ୟରେ ଅଭିଯୁକ୍ତ ଓ ଅଭିଯୋଗକାରୀ ଯୁବତୀଙ୍କ କୌଣସି ସଂପର୍କ ନଥିବା ବେଳେ ଗତମାସରେ ଅଭିଯୁକ୍ତ ଗାଁକୁ ବୋଲ୍‌ବମ୍ ପାଇଁ ଆସିଥିଲେ | ଏହି ସମୟରେ ଅଭିଯୁକ୍ତ ଯୁବତୀଙ୍କ ସମ୍ମାନହାନି କରିବା ଉଦ୍ଦେଶ୍ୟରେ ଏହି ଭିଡ଼ିଓକୁ ତାଙ୍କର ଜଣେ ସାଂଗଙ୍କ ନିକଟକୁ ପଠାଇଥିଲେ । ଭିଡ଼ିଓ ପାଇଥିବା ସାଂଗ ଜଣକ ଯୁବତୀଙ୍କୁ ଜଣାଇବା ସହ ଭିଡ଼ିଓକୁ ପଠାଇଥିଲେ | ଏଥିନେଇ ଯୁବତୀ ଜଣକ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

Crime

ପୁଣି ଜଣେ ନାବାଳିକାଙ୍କ ଆତ୍ମାହୁତି

Blog Thumbnail

ଦ କୁଇଭର ବ୍ୟୁରୋ :- ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି। ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା । ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର।ଛାତ୍ରୀ ଜଣକ ମାମୁ ଘରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ । କେମିତି ନାବାଳିକା ଜଳିଗଲେ କାରଣ ଅସ୍ପଷ୍ଟ ରହିଛି। ନିଜେ ଜଳିଯାଇଛନ୍ତି ନା ତାଙ୍କୁ କିଏ ଜାଳିଦେଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Accident

ମେକ୍ସପିକାପ ସହ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

Blog Thumbnail

ଗଞ୍ଜାମ( ଦ କୁଇଭର ):- ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତଥା ସଦର ଥାନାର ନାରାୟଣପୁର ମୁଖ୍ଯ ସଡକ ଉପରେ ମେକ୍ସପିକାପ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚିକିତ୍ସିତ ଅବସ୍ଥାରେ ଦୁଇଜଣଙ୍କ ମୃତ୍ଯୁବରଣ ହୋଇଥିବା ଖବର ମିଳିଛି l ମୃତକଙ୍କ ମଧ୍ଯରେ ଜଣେ ପୋଲିସ କର୍ମଚାରୀ ଥିବା ବେଳେ ମୃତ ଦୁଇଜଣ ଅନିଲ କୁମାର ନାୟକ ଓ ରୋହିମ ବୋଲି ଜଣାପଡିଛି । ସଦର ଥାନାର ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରୁଥିବା ସୂଚନା ମିକିଛି l

Politics,State

ଓଡ଼ିଶାକୁ କରିବେ ଛେଳିମୟ

Blog Thumbnail

ଭୁବନେଶ୍ୱର(ଦ କୁଇଭର): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ବଡ଼ ଯୋଜନା କରିଛନ୍ତି । ଏତେଦିନ ପରେ ଏମିତି ଯୋଜନା ସେ ଆଣିଛନ୍ତି ଯେ, ପୂରା ରାଜ୍ୟର ମହିଳାଙ୍କ ସ୍ଥିତି ବଦଳାଇ ଦେବେ । ମୋହନ ସରକାର ରାଜ୍ୟର ପ୍ରତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୫ବର୍ଷରେ ୫୦ହଜାର ଟଙ୍କା ପ୍ରଦାନ କରିବେ । ପ୍ରତିବର୍ଷ ୧୦ହଜାର କରି ସରକାର ମହିଳାଙ୍କୁ ଦେଉଛନ୍ତି । ଏହି ଟଙ୍କାରେ ମହିଳାମାନେ ଛେଳି କିଣୁଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତିନିଟି କିସ୍ତି ପାଇଥିବା ମହିଳାମାନେ ୩ଟି ଛେଳି କିଣିଲେଣି । ଆଗକୁ କିସ୍ତି ପାଇଲେ ପୁଣି ଛେଳି କିଣିବେ ବୋଲି ପ୍ରଭାତୀ କହିଛନ୍ତି ।

ପ୍ରଭାତୀଙ୍କ ଯୋଜନାକୁ ଯିବା ପୂର୍ବରୁ ତାଙ୍କ କଥା ଶୁଣିବା ।---

ଶୁଣିଲେ ତ ଉପମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପାଇଁ ବଡ଼ ଯୋଜନା । ମହିଳାମାନେ ଛେଳି କିଣି ସ୍ୱାବଲମ୍ବୀ ହେବେ । ପ୍ରତିବର୍ଷ ୫ହଜାର ଲେଖାଏ ଦୁଇଥର ପାଇବେ, ସେଥିରେ ଛେଳି କିଣି ବ୍ୟବସାୟ କରିବେ । ୫ବର୍ଷରେ ୧୦ଟି ଛେଳି କିଣିଥିବେ ଓ ଏହାର ବ୍ୟବସାୟ ଭଲ ହେବ । କାରଣ ଛେଳିର ବଜାର ଚାହିଦା ବହୁତ ରହିଛି । ଉପମୁଖ୍ୟମନ୍ତ୍ରୀଙ୍କ ଏପରି ଯୋଜନା ଏବେ ସବୁଠି ଚର୍ଚ୍ଚା । ବିରୋଧୀ ଏହାକୁ ସମାଲୋଚନା କରୁଥିବା ବେଳେ ଏହାର ବାସ୍ତବତା ଯେ ଅନେକ ମହିଳାଙ୍କୁ ସ୍ୱାଲମ୍ବୀ କରିପାରିବ ତାହା ସ୍ପଷ୍ଟ ବୋଲି କେତେକ ଅଭିଜ୍ଞ କହୁଛନ୍ତି । ଦେଖାଯାଉ, ସୁଭଦ୍ରା ଟଙ୍କାରେ କେତେ ମହିଳା କେତେ ଛେଳି କିଣୁଛନ୍ତି ଓ କିଭଳି ଲାଭବାନ ହେଉଛନ୍ତି?


Crime,State

ବୁର୍ଲା ଭୀମସାରରେ ବରଗଡ଼ ଛାତ୍ରୀ ମୃତ

Blog Thumbnail

ଦ କୁଇଭର ବ୍ୟୁରୋ :- ପୁଣି ଜଳିଗଲେ ଆଉ ଜଣେ ନାବାଳିକା ଛାତ୍ରୀ । ବାଲେଶ୍ବର, ପୁରୀ ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ପରେ ବରଗଡ଼ ଜିଲ୍ଲା ଗାଇସିଲେଟରେ ନିଆଁରେ ଜଳି ଆରପାରିରେ ଜଣେ ଛାତ୍ରୀ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୩ ବର୍ଷିୟା ନାବାଳିକାଙ୍କର ଜୀବନ ଯାଇଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ରିସର୍ଚରେ ଭର୍ତ୍ତି କାରଯାଇଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ଏହା ଚତୁ୍ର୍ଥ ଅଭାବନୀୟ ଘଟଣା । ବାଲେଶ୍ୱର , ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇରେ ଆତ୍ମାହୁତି ଜନିତ ମୃତ୍ୟୁ ଘଟଣା ଘଟିଥିଲା। ଏସବୁ ଦୁଃଖଦ ଘଟଣା ମନରୁ ଲିଭି ନଥିବା ବେଳେ, ବରଗଡ଼ ଜିଲ୍ଲାରେ ଏକ ଲୋମ ଟାଙ୍କୁରା ଅଘଟଣ ସାମ୍ନାକୁ ଆସିଛି । ଯାହାକି ଜନମାନସକୁ ଆନ୍ଦୋଳିତ କରିଛି ।

State,Crime

ଯୌତୁକ ପାଇଁ ନବ ବଧୂକୁ ହତ୍ୟା

Blog Thumbnail

ଦ କୁଇଭର ବ୍ୟୁରୋ :- ବାହାଘରକୁ ବରଷେ ପୂରିନି କବରକୁ ଗଲା ଆଉ ଜଣେ ନବବଧୂ । ଝିଅଟି ଯୁବକଙ୍କ ହାତ ଧରି ଘରୁ ଲୁଚି ପଳାଇ ଆସିଥିଲା। ପରେ ଉଭୟ ଘର ଲୋକଙ୍କ ସହମତିରେ ବାହାଘର ହୋଇଥିଲା । ବାହାଘର ସିନା ହୋଇଗଲା ହେଲେ ଗଲାନି ଯୋତୁକ ଦୁଃଖ । କେତେ ସ୍ବପ୍ନ ନେଇ ସ୍ବାମୀ ହାତ ଧରି ସଂସାର କରିବେ ବୋଲି ଭାବିଥିଲେ । ହେଲେ ଝିଅଟିର ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର୍ ହୋଇଗଲା । ବାହାଘରର କିଛି ଦିନ ଠିକ୍ ଠାକ୍ ଚାଲିଥିବା ବେଳେ ତା’ପରେ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ଯାହା ପରବର୍ତ୍ତି ସମୟରେ ନେଇଥିଲା ଭୟଙ୍କର ରୂପ । ଯୌତୁକ ପାଇଁ ଝିଅର ଜୀବନ ନେଇଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବାପା ମା’।


ବେଗୁନିଆ ଶରଧାପୁର ଗାଁର ଶେଖ ସଲିମଙ୍କ ପୁଅ ସବିର୍ ଖାନ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଧୁଷୁରୀ ଥାନାର ଗୋଡିପୋଖରି ଗାଁର କାଦିର୍ ଖାନ୍ ଙ୍କ ଗୋଟିଏ ବୋଲି ଝିଅ ଦଶମ ଶ୍ରେଣୀରେ ପଢୁଥିବା ରୁହାନାକୁ ରାତାରାତି ଉଠାଇ ଆଣିଥିଲା । ରୁହାନାଙ୍କୁ ସେତେବେଳେ ୧୫ ବର୍ଷ ହୋଇଥିଲା । ସେତେବେଳେ ରୁହାନା ପରିବାର ତରଫରୁ ଧୁଷୁରୀ ଥାନାରେ ନାବାଳିକା ଅପହରଣ ଜନିତ ଅଭିଯୋଗ ହୋଇଥିଲା । ପରବର୍ତ୍ତି ସମୟରେ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଶରଧାପୁର ଗାଁରେ ଥିବା ଖବର ପାଇ ଏବଂ ଝିଅ ରୁହାନା ସବିରଙ୍କୁ ଭଲ ପାଇ ନିଜ ଇଚ୍ଛାରେ ପଳାଇ ଆସିଥିବା କହିବା ପରେ ଉଭୟ ପରିବାର ଲୋକ କିଛି ସମ୍ପର୍କୀୟଙ୍କ ସହାୟତାରେ ଉଭୟଙ୍କ ବିବାହ ଲୁଚାଇ କରିଦେଇଥିଲେ । ଏହା ଭିତରେ ନଅ ମାସ ବିତିଯାଇଥିବା ବେଳେ ସ୍ଵାମି ସବିର୍ ସ୍ତ୍ରୀ ରୁହାନା ଉପରେ ଯୌତୁକ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ତେବେ ରୁହାନା ଗତକାଲି ଏସବୁ ଚାପ ସହି ନ ପାରି ସଂନ୍ଧ୍ୟାରେ ଘର ଲୋକଙ୍କୁ ଫୋନ କରି ଜଣାଇଥିଲା ପରେ ତାଙ୍କ ସ୍ବାମୀ ମୋବାଇଲ ଛଡ଼ାଇ ନେଇଥିଲେ । ତା କିଛି ସମୟ ପରେ ଏହି ଅଘଟଣ ଘଟିଥିଲା । ରୁହାନାର ଜୀବନ ଚାଲିଯାଇଛି ବୋଲି ଶାଶୂଘର ଲୋକେ ଫୋନ କରି ତାଙ୍କ ଘରକୁ ଜଣାଇଥିଲେ ।ଗତ ନଭେମ୍ବର ମାସରେ ରୁହାନାର ବିବାହ ହୋଇଥିଲା । ସବିର ଭିଣୋଇଙ୍କ ଦୋକାନରେ କାମ କରୁଥିବା ବେଳେ ସେଠାରେ ରୁହାନାଙ୍କ ସହ ପ୍ରେମ ହୋଇଥିଲା । ହେଲେ ବାହାଘରକୁ ବରଷେ ନ ପୂରୁଣୁ ମୃତ୍ୟୁ ଶଯ୍ୟାରେ ଶୋଇଗଲେ ରୁହାନା । ଗତକାଲି ସଂନ୍ଧ୍ଯାରେ ପୋଲିସ ଖବର ପାଇବା ପରେ ନବ ବିବାହିତାର ଶବ ଜବତ କରିଥିଲା । ପରେ ସ୍ଵାମୀ ସବିରକୁ ଅଟକ ରଖି ରୁହାନା ପରିବାରକୁ ଡକାଇବା ସହିତ ସେମାନେ ଆଜି ଆସି ପହଁଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।